ପାଠ 7
ପରମେଶ୍ୱର ତାଙ୍କ ପାଇଁ ବଞ୍ଚିବା ନିମନ୍ତେ ଲଢ଼େଇରେ ପ୍ରଭାବଶାଳୀ ଉପକରଣ ଦିଅନ୍ତି। ସେଗୁଡ଼ିକୁ ବ୍ୟବହାର ନକରି, ଆମେ ଅସଫଳ ହୋଇଯିବା।
ଜୀବନ ଅତ୍ୟନ୍ତ ଜଟିଳ। ଖ୍ରୀଷ୍ଟୀୟ ମତ ଏପରି ଏକ ଧର୍ମ ନୁହେଁ, ଯାହା ତୁମକୁ ଲୁଚାଇ ରଖେ, ଯେଉଁଥିରୁ ତୁମେ ଆଘାତପ୍ରାପ୍ତ ହେବ ନାହିଁ। ବରଂ, ପରମେଶ୍ୱର ଆମ ହୃଦୟରେ ଅଗ୍ନି ପ୍ରଜ୍ଜ୍ୱଳିତ କରିଛନ୍ତି ଏବଂ ଆମେ ଯେଉଁ ଅନ୍ଧାରରେ ଜନ୍ମ ହୋଇଛେଁ, ସେହିଠାରେ ସେହି ଶିଖା ପ୍ରଦର୍ଶିତ କରିବାକୁ କହିଛନ୍ତି। ସେ ଆମକୁ ଦୁନିଆ ଆମଠାରୁ କିପରି ଆଶା କରେ, ତାହାଠାରୁ ଭିନ୍ନ ଭାବରେ ଆମର ବାସ୍ତବିକ ଜୀବନ ନିର୍ବାହ କରିବାକୁ କୁହନ୍ତି।
ଯେତେବେଳେ ଆମେ ପୁନର୍ବାର ଜନ୍ମ ଗ୍ରହଣ କରେଁ, ଆମକୁ ଜୀବନର ବାକି ସମୟ ପାଇଁ ନିରନ୍ତର ପୋଷକର ଆବଶ୍ୟକତା ହୋଇଥାଏ। ଆମେ ଦିନକୁ ଅନେକ ଥର ଖାଏଁ। ଆମେ ଦିନକୁ ଅନେକ ଘଣ୍ଟା ଶୋଇଥାଏଁ। ଆମେ ପ୍ରତିଦିନ ବହୁତ ପାଣି ପିଏଁ। ଖାଦ୍ୟ, ପାଣି ଓ ନିଦ୍ରାର ଆଧ୍ୟାତ୍ମିକ ସମକକ୍ଷ ହେଉଛି ବାଇବଲ ପଠନ, ପ୍ରାର୍ଥନା ଏବଂ ଅନ୍ୟମାନଙ୍କ ସହିତ ତାଙ୍କୁ ଆରାଧନା କରିବା।
ଦୁନିଆ ହେଉଛି ଅପରିଷ୍କାର। ଆମକୁ ପବିତ୍ର ରହିବା ଦରକାର। ବଞ୍ଚିଥିବା ବେଳେ, ଆମ ହୃଦୟରେ ପ୍ରତ୍ୟେକ ଦିନ ଅଳିଆ ଫୋପାଡ଼ାଯିବ। ଆମ ଆଖି ମାଧ୍ୟମରେ, ଆମେ ବିକୃତି ଦେଖୁ। ଆମ କାନ ମାଧ୍ୟମରେ, ଆମେ ଗାଳି ଶୁଣେଁ। ଆମ ହାତ ମାଧ୍ୟମରେ, ଆମେ କଣ୍ଟାର ଯନ୍ତ୍ରଣା ଏବଂ ବନ୍ଧୁଙ୍କ ମୁଷ୍ଟିର ଆଘାତ ଅନୁଭବ କରେଁ। ଆମ ଜିଭ ମାଧ୍ୟମରେ, ଆମେ ତିକ୍ତ ବିଷର ସ୍ୱାଦ ଚାଖୁଛେ। ଆମ ନାକ ମାଧ୍ୟମରେ, ଆମେ ମୃତ୍ୟୁର ଦୁର୍ଗନ୍ଧ ଅନୁଭବ କରେଁ।
ମଇଳା ଧୋଇବା, ଅନ୍ଧାରକୁ ଦୂରକୁ ଠେଲିବା ଏବଂ ଆମ ଚାରିପାଖର ଦୁନିଆକୁ ପରିବର୍ତ୍ତନ କରିବା ପାଇଁ ପରମେଶ୍ୱର ଆମକୁ କେଉଁ ଉପକରଣ ଦିଅନ୍ତି?
ପ୍ରଥମ, ଆମେ ପୂର୍ବରୁ ଆଲୋଚନା କରିସାରିଛେ ଯେ, ସେ ବାଇବଲରେ ଆମ ଜୀବନ ପାଇଁ ତାଙ୍କର ଯୋଜନା ପ୍ରକାଶ କରିଥିଲେ। ବାଇବଲର ପାଠ୍ୟ ପଢ଼ିବା ଏବଂ ପରମେଶ୍ୱରଙ୍କ ପ୍ରତିଜ୍ଞାଗୁଡ଼ିକୁ ନିଜ ଭିତରେ ସଂରକ୍ଷଣ କରି ରଖିବା ଦ୍ୱାରା, ଆମର ମନ ପରିଷ୍କାର ହେବା ସହ ଆମର ହୃଦୟ ଶକ୍ତିଶାଳୀ ହୋଇଥାଏ।
ଦ୍ୱିତୀୟ, ସେ ଆମ ଭିତରେ ପବିତ୍ର ଆତ୍ମାଙ୍କୁ ରଖିଛନ୍ତି, ଯେଉଁଥିରୁ ଆମେ ପରମେଶ୍ୱରଙ୍କୁ ପ୍ରାର୍ଥନା କରିପାରିବା ଏବଂ ସେ ଆମକୁ ଉତ୍ତର ଦେଉଛନ୍ତି ବୋଲି ଅନୁଭବ କରିପାରିବା। ଏହା ଆମର ବିଶ୍ୱାସକୁ ଗଭୀର କରେ ଏବଂ ଆମକୁ ଭିନ୍ନ ଭାବରେ ବଞ୍ଚିବା ତଥା ବିଶ୍ୱକୁ ପରିବର୍ତ୍ତନ କରିବାରେ ସାହାଯ୍ୟ କରିବାର ଶକ୍ତି ଦିଏ।
ତୃତୀୟ, ସେ ଆମକୁ ଆରାଧନା କରିବା ପାଇଁ ସୃଷ୍ଟି କରିଛନ୍ତି। ଯେତେବେଳେ ଆମେ ତାଙ୍କ ଆରାଧନା କରେଁ, ସେ ଆମର ଇଚ୍ଛାକୁ ପୂରଣ କରନ୍ତି ଏବଂ ଏହି ସଂସାର ଦ୍ୱାରା ଆମକୁ ଦିଆଯାଇଥିବା କ୍ଷତଗୁଡ଼ିକୁ ଠିକ୍ କରିବା ଆରମ୍ଭ କରନ୍ତି।
ଚତୁର୍ଥ, ସେ ଆମକୁ ସୀମା ମଧ୍ୟରେ ମଣିଷ, ପଶୁ ଏବଂ ଆମକୁ ଦେଇଥିବା ଜଗତକୁ ଉପଭୋଗ ତଥା ଭଲ ପାଇବା ପାଇଁ ସୃଷ୍ଟି କରିଥିଲେ। ଆମକୁ ଅନ୍ୟ ଲୋକଙ୍କ ସହିତ ରହିବା ଏବଂ ପ୍ରାକୃତିକ ଜଗତର ଉପଭୋଗ କରିବାକୁ ପ୍ରାଥମିକତା ଦେବାକୁ ପଡ଼ିବ।
ଆମକୁ ପରମେଶ୍ୱରଙ୍କଠାରେ ବିଶ୍ୱାସ କରୁଥିବା ଏବଂ ତାଙ୍କୁ ଭଲ ପାଉଥିବା ଅନ୍ୟ ଲୋକଙ୍କ ସହିତ ସମୟ ବିତାଇବାକୁ ପ୍ରାଥମିକତା ଦେବାକୁ ପଡ଼ିବ।[17] ଏହା ଆମକୁ ଉତ୍ସାହିତ ଓ ଶକ୍ତିଶାଳୀ କରେ। ଏହା ଆମକୁ ଅସନ୍ତୁଳିତ ହେବାରୁ ରକ୍ଷା କରେ। ଏହାକୁ ମଣ୍ଡଳୀ କୁହାଯାଏ। ମଣ୍ଡଳୀ କୌଣସି କୋଠା ନୁହେଁ, ଯେଉଁଠାରେ ଆମେ ଭେଟ କରେଁ କିମ୍ବା ଆମେ ଯୋଗ ଦେଉଥିବା କୌଣସି ସେବା ନୁହେଁ; ମଣ୍ଡଳୀ ହେଉଛି ସେହି ଲୋକମାନେ, ଯେଉଁମାନେ ପରମେଶ୍ୱର ତଥା ଆମକୁ ଉଭୟଙ୍କୁ ଭଲ ପାଆନ୍ତି। ପରମେଶ୍ୱରଙ୍କୁ ଭଲ ପାଉଥିବା ଅନ୍ୟ ଲୋକଙ୍କ ସହିତ ସମୟ ବିତାଇବା (ବାଇବଲ ପଢ଼ିବା, ପ୍ରାର୍ଥନା କରିବା, ଆରାଧନା କରିବା ଏବଂ ବାଇବଲରେ କୁହାଯାଇଥିବା ପରି ଜୀବନ ନିର୍ବାହ କରିବାରେ ପରସ୍ପରକୁ ସାହାଯ୍ୟ କରିବା) ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଅନେକ ଲୋକ ଭାବନ୍ତି, ଅନ୍ୟ ଖ୍ରୀଷ୍ଟିୟାନମାନଙ୍କ ସହିତ ସାକ୍ଷାତ ଗୁରୁତ୍ୱପୂର୍ଣ୍ଣ କି ନୁହେଁ। କିନ୍ତୁ ବାଇବଲ କୁହେ ଯେ, ଏହା ହିଁ ମୁଖ୍ୟ କଥା। ଯୀଶୁ ପୁନର୍ବାର ଉଠି ଏକ ପ୍ରେମମୟ ସମ୍ପ୍ରଦାୟ ଗଠନ କଲେ: ଯାହା ତାଙ୍କଠାରେ ପବିତ୍ର ଏବଂ ତାଙ୍କ ଦ୍ୱାରା ସନ୍ତୁଷ୍ଟ ହୋଇଥିବ। ମୃତ୍ୟୁରୁ ଉଠିବା ପରେ ସେ ତାଙ୍କ ଆଚରଣରେ ଏହା ଦର୍ଶାଇଥିଲେ, ଯେତେବେଳେ ସେ ତାଙ୍କ ବନ୍ଧୁମାନଙ୍କ ସହିତ ଖାଇଲେ, ସେମାନଙ୍କ ସହିତ ଚଲା-ବୁଲା କଲେ ଏବଂ ସେମାନଙ୍କ ବ୍ୟକ୍ତିଗତ କୋଠରୀରେ ସେମାନଙ୍କୁ ଭେଟିଲେ।
ଯଦି ଏହା ଆମ ପାଇଁ ପର୍ଯ୍ୟାପ୍ତ ନୁହେଁ, ତେବେ ଜଣେ ପାଦ୍ରୀଙ୍କ ଦ୍ୱାରା ଆମକୁ କୁହାଯାଇଥିବା ଏହି ଉତ୍ତେଜନାପୂର୍ଣ୍ଣ କାହାଣୀ ସାହାଯ୍ୟ କରିପାରେ:
ଦିନେ, ଜଣେ ବ୍ୟକ୍ତି ଜଣେ ପାଦ୍ରୀଙ୍କ ପାଖକୁ ଆସି କହିଲେ, “ଫାଦର୍, ମୋ ଭାଇ ପାଉଲ ମୋ'ଠାରୁ ଏବଂ ଅନ୍ୟ ସମସ୍ତ ଖ୍ରୀଷ୍ଟିୟାନମାନଙ୍କଠାରୁ ନିଜକୁ ଅଲଗା କରିଦେଇଛି। ଆପଣଙ୍କୁ ତା’ ସହିତ କଥା ହୋଇ ତାକୁ ଫେରିଆସିବା ପାଇଁ ବୁଝାଇବାକୁ ପଡ଼ିବ!”
ପାଦ୍ରୀ ପାଉଲଙ୍କ ଘରକୁ ଗଲେ, ଦ୍ୱାର ବାଡ଼େଇଲେ ଏବଂ ତାଙ୍କୁ ଭିତରକୁ ଆସିବାକୁ କୁହାଗଲା।
ଭିତରକୁ ପଶିବା ପରେ, ସେ ପାଉଲଙ୍କୁ ଏକ ପ୍ରଜ୍ୱଳକାରୀ ନିଆଁ ଆଡ଼କୁ ଚାହିଁ ରହିଥିବାର ଦେଖିଲେ। ସେମାନେ ନୀରବରେ ମୁଣ୍ଡ ହଲାଇ ଅଭିବାଦନ କଲେ ଏବଂ ପାଦ୍ରୀ ପାଉଲଙ୍କ ପାଖରେ ବସି ନିଆଁକୁ ଚାହିଁବାକୁ ଲାଗିଲେ। କିଛି ସମୟ ପରେ, ପାଦ୍ରୀ ଧାତୁ ଚିମୁଟା ଉଠାଇଲେ, ନିଆଁରୁ ଏକ ଗରମ କୋଇଲା ଧରିଲେ ଏବଂ ତାହାକୁ ନିଆଁ ବାହାରେ ଥିବା ପଥର ଚଟାଣ ଉପରେ ରଖିଲେ। ସେ ପାଉଲଙ୍କ ଆଡ଼କୁ ମୁଣ୍ଡ ହଲାଇଲେ, ହସିଲେ ଏବଂ ଅପେକ୍ଷା କଲେ। କିଛି ମିନିଟ୍ ପରେ, କୋଇଲା ଏତେ ଥଣ୍ଡା ହୋଇଗଲା ଯେ, ସେଥିରେ ଆଉ ନିଆଁ ରହିଲା ନାହିଁ।
ପାଦ୍ରୀ ପାଉଲଙ୍କ ଆଡ଼କୁ ମୁଣ୍ଡ ହଲାଇଲେ, କୋଇଲା ଉଠାଇ ପୁଣି ନିଆଁରେ ଫୋପାଡ଼ି ଦେଲେ। କିଛି ମୁହୂର୍ତ୍ତ ପରେ, କୋଇଲା ପୁଣି ଜଳିବାକୁ ଲାଗିଲା। ପାଦ୍ରୀ ହସିଲେ, ପାଉଲଙ୍କ ଆଡ଼କୁ ଶେଷ ଥର ପାଇଁ ମୁଣ୍ଡ ହଲାଇଲେ ଏବଂ ଯିବା ପାଇଁ ଉଠି ଠିଆହେଲେ।
ଆମେମାନେ ହେଉଛେ ସେହି କୋଇଲା। ଆମ ଚାରିପାଖରେ ଅନ୍ୟମାନଙ୍କ ଜଳୁଥିବା ନିଆଁ ବିନା, ଆମେ ଶେଷରେ ଥଣ୍ଡା ହୋଇଯିବା ଏବଂ ଆମର ନିଆଁ ହରାଇବା। ଆମକୁ ଆମର ବାଇବଲ ପଢ଼ିବା, ପ୍ରାର୍ଥନା କରିବା ଏବଂ ଆରାଧନାର ଦୈନନ୍ଦିନ ଅଭ୍ୟାସ ବିକଶିତ କରିବା ସହିତ ଅନ୍ୟ ଖ୍ରୀଷ୍ଟ ଧର୍ମୀମାନଙ୍କ ସହିତ ସମୟ ବିତାଇବାକୁ ପ୍ରାଥମିକତା ଦେବାକୁ ପଡ଼ିବ, ଯେଉଁଥିରୁ ଆମେ ପରସ୍ପରକୁ ପରମେଶ୍ୱରଙ୍କ ପ୍ରତି ଆନନ୍ଦରେ ଆଜ୍ଞାକାରୀ ଜୀବନ ନିର୍ବାହ କରିବାରେ ସାହାଯ୍ୟ କରିପାରିବା।
ଯଦି ଆମେ ଏପରି କରିବା, ତେବେ ପରମେଶ୍ୱର ଆମକୁ ଶକ୍ତିଶାଳୀ କରିବେ, ଉତ୍ସାହିତ କରିବେ ଏବଂ ଆଶୀର୍ବାଦ କରିବେ। ତାହାପରେ, ସେ ଆମକୁ ଆମ ପରି ଆବଶ୍ୟକ କରୁଥିବା ଲୋକଙ୍କ ସହିତ ସୁସମାଚାର ଜଣାଇବାର ସୁଯୋଗ ଦେବେ।
ଆସ ଅଧିକ ଜାଣିବା
ଗାଲାତୀୟ 5:22-26, ଗୀତସଂହିତା 121:1-8, ଓ 1 କରିନ୍ଥୀୟ 12:20 - 13:13 ପଢ଼। ଆମେ କିପରି ଜୀବନ ନିର୍ବାହ କରିବା ବୋଲି ପରମେଶ୍ୱର ଚାହାଁନ୍ତି, ଏହା କ’ଣ ତୁମକୁ ସ୍ପଷ୍ଟ ଜଣାପଡୁଛି? ପରମେଶ୍ୱରଙ୍କୁ ପ୍ରାର୍ଥନା କର ଯେ, ସେ ତୁମକୁ ଏହି ପଦଗୁଡ଼ିକରେ ବର୍ଣ୍ଣିତ ପ୍ରେମ ଅନୁଯାୟୀ ଜୀବନ ନିର୍ବାହ କରିବାକୁ ଶକ୍ତି ପ୍ରଦାନ କରନ୍ତୁ। ଏହି ପ୍ରକାରର ପ୍ରେମକୁ ଅଭ୍ୟାସରେ ପରିଣତ କରିବା ପାଇଁ ଉପାୟ କ’ଣ? ଏହାକୁ ଲେଖ, ତା’ପରେ ଯାଅ ଏବଂ ତାହା କର!